ଜିଲ୍ଲା ସମ୍ବନ୍ଧରେ

ଓଡ଼ିଶା ର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ର ରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରାଗ୍ ଐତିହାସିକ ଯୁଗ ରୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଉତ୍ତର ଦିଗରେ ସମ୍ବଲପୁର ଜିଲ୍ଲା, ଦକ୍ଷିଣ ପୂର୍ବ ରେ ବୌଦ୍ଧ ଜିଲ୍ଲା, ପୂର୍ବ ରେ ରେଢ଼ାଖୋଲ ଉପଖଣ୍ଡ (ସମ୍ବଲପୁର ଅଧିନସ୍ଥ) ଏବଂ ପଶ୍ଚିମ ରେ ବଲାଙ୍ଗିର ଜିଲ୍ଲା ଦ୍ୱାରା ଆବଦ୍ଧ ହେଉଛି ସୋନପୁର ର ଅବସ୍ଥିତୀ । ସୁବର୍ଣ୍ଣପୁର ସନ୍ନିକଟ ବିଭିନ୍ନ ସ୍ଥାନ ରୁ ସଂଗୃହିତ ଓ ଆବିଷ୍କୃତ ଶୈଳଚିତ୍ର ଏବଂ ଅସ୍ତ୍ରଶସ୍ତ୍ର ତଥା ଏହି ଜିଲ୍ଲାର ରାମପୁର ତହସିଲ ଅର୍ନ୍ତଗତ ପୂଜାଡୁଙ୍ଗୁରୀ ର ଶୈଳଚିତ୍ର ସମୂହ ଏହାର ପ୍ରାଗ୍ ଐତିହାସିକତା ତଥ୍ୟକୁ ପ୍ରତିପାଦିତ କରେ ସୋନପୁର ସହର ନିକଟସ୍ଥ ଅସୁରଗଡ଼ ଓ ବିରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ତଥା ମହାନଦୀ କୂଳ ରେ ଥିବା ଖମ୍ବେଶ୍ୱରୀପାଲି ରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନ ତଥା ସେଠାରୁ ଆବିଷ୍କୃତ ଆହତ-ମୁଦ୍ରା ରୁ ଆମେ ସ୍ପଷ୍ଟ ପ୍ରମାଣ ପାଉ ଯେ ସୁବର୍ଣ୍ଣପୁର ରେ ଏକ ଜନବସତି ଗଢ଼ିଉଠିଥିଲା ଖ୍ରୀ.ପୂ ତୃତୀୟ ଶତଦ୍ଦୀ ରୁ ଖ୍ରୀ ପ୍ରଥମ ଶତାଦ୍ଦୀ ମଧ୍ୟରେ । ଅବଶ୍ୟ, ଏହି ଜିଲ୍ଲା ର ସୀମା-ନିର୍ଦ୍ଧାରଣ ଠିକ୍ ଭାବେ କେତେଦୂର ପର୍ଯ୍ୟନ୍ତ ବିସ୍ତୃତ ଥିଲା- କୁହାଯାଇ ପାରିବନି ।
ସୁବର୍ଣ୍ଣପୁର ଇତିହାସ ର କାଳାନୁକ୍ରମିକ କୁ ଅଧ୍ୟୟନ କଲେ ଏହା ଜଣାପଡ଼େ ଯେ ଖ୍ରୀ ଅଷ୍ଟମ ଶତାବ୍ଦୀ ରୁ ସୁବର୍ଣ୍ଣପୁର (ଆଧୁନିକ ସୋନପୁର) ବିଭିନ୍ନ ରାଜବଂଶ ଦ୍ୱାରା ଶାସିତ ହୋଇଥିଲା ଏବଂ ସ୍ୱକୀୟ ଗୁରୁତ୍ୱ ପ୍ରଦର୍ଶନ କରିଥିଲା । ବିଭିନ୍ନ ସମୟରେ ବିଭିନ୍ନ ରାଜବଂଶ ଯଥା ଭଞ୍ଜ, ସୋମବଂଶୀ, ତେଲଗୁଚୋଡ, ଏବଂ କାଳଚୁରୀ ଦ୍ୱାରା ଶାସିତ ହୋଇ ରାଜତନ୍ତ୍ର ଚାଲିଥିଲା । ଖ୍ରୀ.ଅଷ୍ଟମ ଶତାବ୍ଦୀ ରେ ସୁବର୍ଣ୍ଣପୁର ଅଂଚଳ ବା ସ୍ୱର୍ଣ୍ଣପୁର ଖିଞ୍ଜଳୀ ମଣ୍ଡଳ ର ଏକ ଅଂଶ ହୋଇଥିଲା, ଯାହାକି ତୋଷାଳୀ ର ଭୌମକର ଙ୍କ କରଜ ଭାବେ ସୁବର୍ଣ୍ଣପୁର ରେ ଭଞ୍ଜବଂଶୀୟ ରାଜା ଶାସନ କରୁଥିଲେ । ସୋମବଂଶୀ ରାଜା ପ୍ରଥମ ଜନ୍ମଜେୟ (୮୫୦-୮୫୫) ଭଞ୍ଜ ରାଜାଙ୍କ ଠାରୁ ଶାସନ ଗାଦି ନେଇ ସୁବର୍ଣ୍ଣପୁର ରାଜ୍ୟ କୁ କୋଶଳ ସାମ୍ରାଜ୍ୟ ର ରାଜଧାନୀ ରୁପେ ପ୍ରତିଷ୍ଠା କଲେ । ସମୟାନୁକ୍ରମେ ସୋମବଂଶୀ ରାଜ୍ୟ କୁ ଉକ୍ରଳ ପ୍ରଦେଶ ପର୍ଯ୍ୟନ୍ତ ବିସ୍ତୃତ କଲେ । ସୋମବଂଶୀ ରାଜା ନୂତନ ଭାବେ ଲାଭ କରିଥିବା ରାଜ୍ୟ କୁ ଦୁଇ ଭାଗ କରିଦେଲେ । ପ୍ରଥମଟି ଉକ୍ରଳ ଦେଶ ଅବିଭକ୍ତ ଯଯାତୀ ନଗର (ଆଧୁନିକ ଯାଜପୁର)କୁ ଏହାର ରାଜଧାନୀ ଘୋଷଣା କଲେ ଏବଂ ଏଥିରେ ସ୍ୱୟଂ ରାଜା ଏହାର ଶାସନ ଦାୟିତ୍ୱ ରେ ରହିଲେ । ଦ୍ୱିତିୟ ଭାଗଟି ହେଲା କୋଶଳ ଦେଶ ଏବଂ ଏହାର ମୂଖ୍ୟ କାର୍ଯ୍ୟାଳୟ ହେଲା ସୁବର୍ଣ୍ଣପୁର ଏବଂ ଖ୍ରୀ.୧୦୭୦ ରେ ଜନୈକ ରାଜବଂଶର ରାଜକୁମାର ଏହାର ଦାୟିତ୍ୱ ରେ ରହିଲେ । ବସ୍ତର ଅଂଚଳ ଚିନ୍ଦକା ନାଗ ର କରଜ ଭାବେ ତେଲଗୁ ଚୋଡ଼ ତକ୍ରାଳୀନ ସୋମବଂଶୀ ରାଜାଙ୍କ ଠାରୁ ଛଡ଼େଇ ଏହି ଅଂଚଳ କୁ ଦୀର୍ଘ ୪୫ ବର୍ଷ ନିରବଚ୍ଛିନ୍ନ ଶାସନ କଲେ । ଖ୍ରୀ ୧୧୧୩ ରେ କାଳଚୁରୀ ତେଲଗୁ ଚୋଡ଼ ମାନଙ୍କୁ ବିତାଡିତ କରି ସୁବର୍ଣ୍ଣପୁର କୁ ଦଖଲ କଲେ ଏବଂ ପ୍ରାୟ ଦୀର୍ଘ ୧୦୦ ବର୍ଷ ଶାସନ କଲେ ।
ଇତ୍ୟବସର ରେ ସାମ୍ରାଜ୍ୟବାଦୀ ଗଙ୍ଗ ବଂଶମାନେ ସୋମବଂଶୀ ମାନଙ୍କୁ ଉକ୍ରଳ ଅଂଚଳ ରୁ ବିତାଡିତ କଲେ ଏବଂ ଗଙ୍ଗ ମାନେ ପ୍ରାୟ ୧୦୦ ବର୍ଷ ଯତ୍ ପରୋନାସ୍ତି ତେଲଗୁଚୋଡ ଙ୍କ ଠାରୁ ସୁବର୍ଣ୍ଣପୁର ଅଂଚଳ କୁ ଅଧିକାର କରିବା ପାଇଁ ପ୍ରଚେଷ୍ଟା କଲେ ଏବଂ ଶେଷରେ ଗଙ୍ଗ ବଂଶୀୟ ସାମ୍ରାଜ୍ୟବାଦୀ ରାଜା ତୃତୀୟ ଅନଙ୍ଗ ଭୀମ ଦେବ (୧୨୧୧-୧୨୨୮) ଏହି ଅଂଚଳ କୁ ସଫଳତା ର ସହ ଦଖଲ କଲେ । ସୋନପୁର ଆବିଷ୍କୃତ ହୋଇଥିବା ଗଙ୍ଗୀୟ ସ୍ୱର୍ଣ୍ଣମୁଦ୍ରା ଏବଂ ବିଭିନ୍ନ ପ୍ରସ୍ତର ଅଭିଲେଖ ସୁବର୍ଣ୍ଣପୁର ରେ ଗଙ୍ଗ-ଶାସନ ତଥ୍ୟ କୁ ପ୍ରମାଣିତ କରେ । ଗଙ୍ଗୀୟ ରାଜା ମାନେ ବଙ୍ଗଳା ରେ ଥିବା ମୁସଲମାନ ଙ୍କ ସହିତ ଯୁଦ୍ଧରେ ଥିବା ବ୍ୟସ୍ତ ଥିବା କାରଣରୁ ଗଙ୍ଗୀୟ ରାଜତନ୍ତ୍ର ଏହି ଅଂଚଳ କୁ ପ୍ରଶାସନିକ ଅବହେଳା ହେଲା । ସେହି ସମୟରେ ଭଞ୍ଜ ବଂଶ ଏହି ଅଂଚଳ କୁ ଦଖଲ କଲେ ଏବଂ ସୁବର୍ଣ୍ଣପୁର କୁ ରାଜଧାନୀ ଘୋଷଣା କଲେ । ପରବର୍ତ୍ତୀ ସମୟରେ ଏହାକୁ ବୌଦ୍ଧ କୁ ସ୍ଥାନାନ୍ତର କଲେ । ଏହା ଥିଲା ପାଟଣା ଚୌହାନ ବଂଶ ର ସମ୍ରାଜ୍ୟବାଦୀ ନୀତି ର ଏକ ଝଲକ ।
ଇତ୍ୟବସରେ ରେ ବଲାଙ୍ଗୀର ଜିଲ୍ଲା ର ପାଟଣାଗଡ଼ରେ ଚୌହାନ ବଂଶୀୟ ରାଜା ରମାଇ ଦେଓ ରାଜତନ୍ତ୍ର ପ୍ରତିଷ୍ଠା କଲେ । ପରେ ଏହି ବଂଶ ର ବଳରାମ ଦେବ ସମ୍ବଳପୁର ଶାସନ ଦାୟିତ୍ୱ ରେ ରହିଲେ । ତାଙ୍କର ଉତ୍ତରାଧିକାରୀ ରୁପେ ବଳଭଦ୍ର ଦେବ (ଖ୍ରୀ. ୧୬୦୫-୧୬) ସୁବର୍ଣ୍ଣପୁର ଅଂଚଳ ଦଖଲ କଲେ, ଏବଂ ସୁବର୍ଣ୍ଣପୁର ଅଂଚଳ ର ବୌଦ୍ଧ ର ଶାସନ ସିଦ୍ଧ ଭଞ୍ଜଦେବ ଠାରୁ ଶାସନ ଛଡାଇଆଣିଲେ । ସମ୍ବଲପୁରର ପରବର୍ତୀ ଚୌହାନ ରାଜା ମଧୂକର ଦେବ ନୂତନ ଭାବେ ବିଜୟ କରିଥିବା ରାଜ୍ୟକୁ କରଜ୍/ଅଧସ୍ଥନ ରାଜ୍ୟ ରୂପେ ଶାସନ ଦାୟିତ୍ୱ ଦେଲେ । ଖ୍ରୀ. ୧୬୪୦ ରେ ମଦନ ଗୋପାଳ ସୋନପୁର ରେ ଚୌହାନଙ୍କୁ ବଂଶର ଶାସନ ର ମୂଳଦୁଆ ପକାଇଲେ । ସେହି ସମୟ ରୁ ସୋନପୁର ରାଜତନ୍ତ୍ର ଚୌହାନ ବଂଶ ର ରାଜା ମାନଙ୍କର ଆତଙ୍କ ରେ ରହିଲା ୦୧.୦୧.୧୯୪୮ ରେ ଏହି ଗଡଜାତ ରାଜ୍ୟ ଓଡିଶା ପ୍ରଦେଶ ରେ ମିଶିଲା ।
ମଦନ ଗୋପାଳ ଙ୍କ ଅଧିନରେ ଥିବା ସୁବର୍ଣ୍ଣପୁର ରାଜ୍ୟ ଅଧିନ ରେ ୧୬୦ ଟି ଗ୍ରାମ ତଥା ରାମପୁର, ସୁଖା, କମସରା ଏବଂ ବରପାଲି ଜମିଦାରୀ ଅନ୍ତର୍ଭୁକ୍ତ ଥିଲା । ତାଙ୍କର ପୁତ୍ର ତଥା ଉତ୍ତରାଧିକାରୀ ଲାଲ୍ ସାଇଦେଓ ଙ୍କ ରାଜତ୍ୱ ସମୟରେ ସୁବର୍ଣ୍ଣପୁର ସହର ଅତ୍ୟନ୍ତ ଜନବହୁଳ ରାଜୟ ରୁପେ ପ୍ରସିଦ୍ଧି ଅର୍ଜନ କରିଥିଲା ଏବଂ ପ୍ରାୟ ୫୨,୦୦୦ ରେ ପହଂଚିଥିଲା ଏହାର ଜନସଂଖ୍ୟା ଯାହାଙ୍କ ୩ ବର୍ଗ ମାଇଲ ରୁ ଉଦ୍ଧ୍ୱର୍ ଅଂଚଳ ପର୍ଯ୍ୟନ୍ତ ଜନବସତି ଥିଲା । ଦିବ୍ୟସିଂହ ଦେବ (ଖ୍ରୀ. ୧୭୫୦-୧୭୨୦) ତାଙ୍କର ସାମ୍ରାଜ୍ୟବାଦ ନୀତି ଗ୍ରହଣ କରି ଏହି ରାଜ୍ୟର  ସୀମା  କୁ ଆହୁରି ପରିବର୍ଦ୍ଧିତ କରିଥିଲେ । ଅଙ୍ଗନଦୀ ଓ ସୁକତେଲ ନଦୀ ମଧ୍ୟରେ ଥିବା ସମସ୍ତ ଅଂଚଳ ସମେତ ରେଢାଖୋଲ ଉପଖଣ୍ଡ ଅର୍ନ୍ତଗତ ୬୩ ଟି ଗ୍ରାମ ଏହି ରାଜ୍ୟରେ ଅର୍ନ୍ତଭୁକ୍ତ କରାଗଲା । ଶୋଭା ସିଂ (ଖ୍ରୀ ୧୭୭୧-୧୭୮୩) ଶାସନ କାଳରେ ପଡୋଶୀ ବୌଦ୍ଧ ରାଜ୍ୟର ପଂଚରା ପ୍ରଗଣା ମଧ୍ୟ ସୁବର୍ଣ୍ଣପୁର ରାଜ୍ୟରେ ମିଶିଗଲା । ପରର୍ବତ୍ତୀ ରାଜା ପୃଥ୍ୱୀ ସିଂହ ଦେଓ (ଖ୍ରୀ ୧୭୮୯-୧୮୪୧) ମାରାଠା ମାନଙ୍କ ଦ୍ୱାରା ପରାସ୍ତ ହୋଇ ଚାନ୍ଦ ଜେଲ ରେ ବନ୍ଦୀ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ । ତାଙ୍କର ଅନୁପସ୍ଥିତି ରେ ରାଣୀ ଲକ୍ଷ୍ମୀ ପ୍ରିୟା ଦେବୀ ରାଜ୍ୟ ଶାସନ ଦାୟିତ୍ୱ ନେଲେ । ରାଣୀ ଲକ୍ଷ୍ମୀ ପ୍ରିୟା ୧୩ ଡିସେମ୍ବର୧୮୦୩ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସହିଏ ଏକ ଚୁକ୍ତି ସ୍ୱାକ୍ଷର କଲେ ଏବଂ ସୁବର୍ଣ୍ଣପୁର ବ୍ରିଟିଶ ସୁରକ୍ଷାବଳୟ କୁ ଆସିଲା । ସୁବର୍ଣ୍ଣପୁର ବ୍ରିଟିଶ ର ଏକ ଅଧସ୍ତନ ରାଜ୍ୟ ରୁପେ ପରିଗଣିତ ହେଲା । କିନ୍ତୁ ତୃତୀୟ ବ୍ରିିଟିଶ- ମରାଠା ଯୁଦ୍ଧ ରେ ମରାଠା ମାନେ ପରାସ୍ତ ହେଲେ ଖ୍ରୀ ୧୮୧୭ ରେ ରାଜା ପୃଥ୍ୱୀ ସିଂ ଜେଲ ରୁ ଖଲାସ ହେଲେ ଏବଂ ସୋନପୁର ରାଜ୍ୟ ସ୍ଥାୟୀ ଭାବେ ବ୍ରିଟିଶ ଅଧିନ କୁ ଆସିଲା ଓ ଏହାର ସୁରକ୍ଷା ବଳୟ ରେ ଅର୍ନ୍ତଭୁକ୍ତ ହେଲା । ତାଙ୍କର ଉତ୍ତରାଧିକାରୀ ରାଜା ନିଳାଧର ସିଂହଦେଓ (ଖ୍ରୀ ୧୮୫୫-୧୮୯୧) ବ୍ରିଟିଶ ସରକାରଙ୍କ ବିଶ୍ୱସ୍ତ ହେଲେ, ସୁରେନ୍ଦ୍ର ସାଏ ଙ୍କ ସିପାହୀ ବିଦ୍ରୋହ ଓ ଚକ୍ର ବିଶୋଇ ଙ୍କ କନ୍ଧ ବିଦ୍ରୋହ ରେ ବ୍ରିଟିଶର ସହଯୋଗ କରି ରାଏ ବାହାଦୁର ଉପାଧି ରେ ବ୍ରିଟିଶ ସରକାର ଙ୍କ ଦ୍ୱାରା ପ୍ରଶଂସିତ ହେଲେ । ତାଙ୍କ ଶାସନ କାଳ ସମୟରେ ସୁବର୍ଣ୍ଣପୁର ରାଜ୍ୟ ସେଂଟ୍ରାଳ ପ୍ରୋଭିନ୍ସ ସରକାରଙ୍କ ଅଧିନ କୁ ଆସିଲା ଖ୍ରୀ ୧୮୬୧ ରେ ଏବଂ ଏହାକୁ ଏକ କରଜ ରାଜ୍ୟ ରୂପେ ୧୮୬୭ ରୁ ମାନ୍ୟତା ପାଇଲା ।
ତାଙ୍କର ମୃତ୍ୟୁ ପରେ ତାଙ୍କର ସୁପୁତ୍ର ପ୍ରତାପରୁଦ୍ର ସିଂହ ଦେଓ ଖ୍ରୀ ୧୮୯୧ ରେ ସିଂହାସନ ଆରୋହଣ କଲେ ଏବଂ ସେ ପ୍ରଜା ମଙ୍ଗଳ ପାଇଁ ନିଜର ସମୟ ଓ ଶକ୍ତି ବିନିଯୋଗ କଲେ । ୧୮୯୩ ଖ୍ରୀ ରେ ଜମି ବନେ୍ଦାବସ୍ତ ତାଙ୍କ ଦିୱାନ ତ୍ରୟମ୍ବକ ରାଓ ଏବଂ ଦିୱାନ ରାଏ ସାହେବ ଦୀନବନ୍ଧୁ ପଟ୍ଟନାଏକ ସକ୍ରିୟ ଭାବେ କାର୍ଯ୍ୟରମ୍ଭ କଲେ ଏବଂ ପ୍ରଥମ କରି ରୟତୱାରୀ ପାର୍ଚ୍ଚା ପ୍ରସ୍ତୁତ କରାଗଲା ଯେଉଁ  ଥିରେ ଜମିର ରକବା ସ୍ପଷ୍ଟ ହେଲା ଏବଂ ଏହା ରଜସ୍ୱ ଆକଳନ ଦଲିଲ ରେ ସ୍ଥାନିତ ହେଲା । ଏଥିରେ ରୟତ ଓ ଗୌନ୍ତିଆ ଙ୍କ ରାଜସ୍ୱ ପରିମାଣ ସ୍ପଷ୍ଟ ଉଲ୍ଲିଖିତ ରହିଲା । ଶିକ୍ଷା ର ବିକାଶ ପାଇଁ ବିଭିନ୍ନ ବିଦ୍ୟାଳୟ ଆରମ୍ଭ କରାଗଲା ଏବଂ ୧୮୯୯-୧୯୦୦ ରେ ସଂଘଟିତ ଦୁର୍ଭିକ୍ଷ ରେ ଉଦ୍ଧାର କାର୍ଯ୍ୟକ୍ରମ ଗ୍ରହଣ କରାଗଲା ।
ରାଜା ବୀରମିତ୍ର ସିଂହ ଦେଓ (ଖ୍ରୀ ୧୯୦୨୯୧୯୩୭) ଙ୍କ ଶାସନକାଳ କୁ ସୁବର୍ଣ୍ଣପୁର ର ସୁବର୍ଣ୍ଣଯୁଗ କହିଲେ ଅତୁ୍ୟକ୍ତି ହେବ ନାହିଁ । ତାଙ୍କର ସୁଶାସନ ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ରିଟିଶ ସରକାର ତାଙ୍କୁ ଉଚ୍ଚ ପ୍ରଶଂସା କଲେ ତାଙ୍କ ଶାସନ ସମୟରେ ଖ୍ରୀ ୧୯୦୫ ରେ ସୁବର୍ଣପୁର ରାଜ୍ୟ କୁ କେନ୍ଦ୍ରୀୟ ପ୍ରଦେଶ ରୁ କଢାଯାଇ ପଶ୍ଚିମ ବଙ୍ଗ ରେ ଥିବା ଓଡିଶା ଡିଭିଜନର କମିଶନର ରେ ସ୍ଥାନିତ କରାଗଲା । ବୀରମିତ୍ର ଦେଓ ବ୍ରିଟିଶ ସରକାରଙ୍କୁ ଅନେକ ସାହଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ । ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ଏବଂ ସେଥିପାଇଁ ତାଙ୍କୁ କେ.ସି.ଆଇ.ଏଫ୍ ଉପଧି ମିଲିଥିଲା ଏବଂ ତାଙ୍କୁ ମହାରାଜ ଉପାଧିରେ ଭୁଷିତ କରାଗଲା । ରାଜସ୍ୱ ଆଇନ ଏବଂ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ସର୍ନ୍ଧଭରେ ଭୂମିବିଧି ନାମକ ପୁସ୍ତକ ଲେଖିଥିଲେ । ରାଜ କୋଷରୁ ଆର୍ଥିକ ସାହାର୍ଯ୍ୟ ଦେଇଥିଲେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ତାଙ୍କର ଉଦ୍ୟମରେ ୧୯୨୫ ଟ୍ରଷ୍ଟ ଫଣ୍ଡ ସଂସ୍ଥା ପ୍ରତିଷ୍ଠା କରାଗଲା । ସାହିତ୍ୟର ପୃଷ୍ଠପୋଷକ ରୂପେ ରେଭେନ୍ସା କଲେଜ କଟକରେ ଇଂରାଜୀ ବିଷୟରେ ସୋନପୁର ଚେୟାର ଏବଂ କଲିକତା ବିଶ୍ୱ ବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା ପାଇଁ ଅର୍ଥଦାନ କରିଥିଲେ । ଜ୍ଞାନୀ ଓ ଗୁଣୀ ଲୋକ ମାନଙ୍କୁ ସେ ପୃଷ୍ଠପୋଷକତା ପ୍ରଦାନ କଲେ ଏବଂ ଅନେକ ଅମୂଲ୍ୟ ପୁସ୍ତକର ପ୍ରକାଶନ ମଧ୍ୟ କଲେ ।
ତାଙ୍କ ଅନ୍ତେ ତାଙ୍କର ପୁଅ ତଥା ଉତ୍ତରାଧିକାରୀ ସୁଧାଂଶୁ ଶେଖର ସିଂ ଦେଓ ୧୯୩୭ ରେ ରାଜା ହେଲେ ଏବଂ ସେ ଅନେକ ପ୍ରଗତିଶୀଳ ସଂସ୍କାର କୁ କାର୍ଯ୍ୟକାରୀ କଲେ । ସେ ଗଣତାନ୍ତ୍ରୀକ ପଦ୍ଧତିରେ ଜନମଙ୍ଗଳ ଶାସନ ପାଇଁ ପ୍ରୟାସ ଜାରି ରଖିଥିଲେ ଏବଂ ସେଥିପାଇଁ ଜଣେ ମୁଖ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରୀ ମଣ୍ଡଳ ଗଠନ କଲେ ଖ୍ରୀ ୧୯୪୩ ରେ ।
ତାଙ୍କରି ଶାସନ ସମୟରେ ସୁବର୍ଣ୍ଣପୁର ରାଜ୍ୟ (ଗଡଜାତ) ଜାନୁୟାରୀ ୧, ୧୯୪୮ ରେ ଓଡିଶା ପ୍ରଦେଶରେ ମିଶିଗଲା । ଅପ୍ରେଲ ୧, ୧୯୯୩ ରେ ସୁବର୍ଣ୍ଣପୁର ଏକ ସ୍ୱତନ୍ତ୍ର ଜିଲ୍ଲା ରୂପେ ମାନ୍ୟତା ପାଇଛି । ପ୍ରବାତ ପୁୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏଇ ଜିଲ୍ଲା ଗଠନ ଦ୍ୱାରା ଅଗଣିତ ଜନସାଧାରଣଙ୍କ ସ୍ୱପ୍ନ ପୂରଣ ହୋଇପାରିଛି ଏବଂ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ନିକଟତର ହୋଇପାରିଛି ।